History of Odia Language

About the evolution of Odia language


ଇଣ୍ଡୋ-ଇଉରୋପୀୟ ପରିବାର ଅନ୍ତର୍ଗତ ପୁରାତନ ଭାରତୀୟ ଭାଷାମାନଙ୍କ ଭିତରୁ ଓଡ଼ିଆ ଭାଷା ଅନ୍ୟତମ । ଭାଷା ବିଜ୍ଞାନୀମାନଙ୍କ ମତରେ ଏହି ଭାଷା ଭାରତରରେ ୨,୫୦୦ ବର୍ଷରୁ ଅଧିକ ବର୍ଷ ଆଗରୁ କୁହାଯାଉଥିଲା। ଏହା ବୌଦ୍ଧ ଧର୍ମର ତିପିଟକ ଓ ଜୈନ ଧର୍ମଗ୍ରନ୍ଥର ମୂଳ ଭାଷା ଥିଲା । ମୂଳ ଓଡ଼ିଆ ଭାଷା ପାଲି ଓ ଔଡ୍ରୀ ପ୍ରାକୃତରୁ ସିଧା ସୃଷ୍ଟି ହୋଇଛି ଓ ବାକି ଭାରତୀୟ ଭାଷାମାନଙ୍କ ତୁଳନାରେ ପାରସୀ ଓ ଆରବୀ ଭାଷାଦ୍ୱାରା ଖୁବ କମ ପ୍ରଭାବିତ ହୋଇଛି । ହାତିଗୁମ୍ଫାର ଶିଳାଲେଖରୁ ଜଣା ଯାଏ ଯେ ଆଧୁନିକ ଓଡ଼ିଆ ଭାଷାର ମୂଳ ପାଳି ଭାଷାରୁ । ପ୍ରଫେସର ଓଲଡେନବର୍ଗଙ୍କ ମତରେ ପାଲି ବା ପାଳି ଭାଷା ହିଁ ଓଡ଼ିଆ ଭାଷାର ମୂଳ ।

ଓଡ଼ିଆ ଶବ୍ଦର ବ୍ୟବହାର ୭ମ ଶତାବ୍ଦୀର ତାଳପତ୍ରରେ ଦେଖିବାକୁ ମିଳେ। ଯୋଗୀନ୍ଦ୍ର ଦାଣ୍ଡଧୁଆ (ଦୋହା) ଓ ଶରୀରଭେଦ ଭଜନ ପରି ନେପାଳରୁ ମିଳିଥିବା ବୌଦ୍ଧଗାନ ଓ ଦୋହା ପୁରାତନ ଓଡ଼ିଆ ଭାଷାରେ ଲିଖିତ। ବୌଦ୍ଧ ଆଚାର୍ଯ୍ୟଙ୍କଦ୍ୱାରା ରଚିତ ଏହି ଚର୍ଯ୍ୟାସାହିତ୍ୟ ହେଉଛି ପ୍ରାଚୀନ ଓଡ଼ିଆ ଶବ୍ଦାବଳୀର ଗନ୍ତାଘର। ଭଦ୍ରକରୁ ପ୍ରାପ୍ତ ମହାରାଜ ଗଣଙ୍କ ୯ମ ଶତାବ୍ଦୀରେ ଲିଖିତ ଶିଳାଲେଖରେ 'ଦେବ କହି ଭକତି କରୁଣ ବୋଲନ୍ତି ଭୋ କୁମାର ଶେଣ'ହେଉଛି ଓଡ଼ିଆ ଭାଷାରେ ରଚିତ ସ୍ୱୟଂସଂପୂର୍ଣ୍ଣ ଓଡ଼ିଆ ଶବ୍ଦ। ପୁରୀ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ବ୍ୟବହୃତ ମାଦଳାପାଞ୍ଜି ଖ୍ରୀଷ୍ଟୀୟ ଏକାଦଶ ଶତାବ୍ଦୀଠାରୁ ଗଦ୍ୟରୂପରେ ଲିଖିତ ହୋଇ ଆସୁଥିଲା। ସେହି ଭାଷା କ୍ରମେ ପରିବର୍ତ୍ତିତ ହୋଇ ଆଧୁନିକ ଓଡ଼ିଆ ଭାଷାରେ ପରିଣତ ହୋଇଛି। ଓଡ଼ିଆ ଶବ୍ଦ କୁମ୍ଭାରର ବ୍ୟବହାର ତମ୍ବାପଟାରେ ଲେଖାଥିବାର ଦେଖିବାକୁ ମିଳେ । ସେମିତି ୯୯୧ ସନର ଲେଖ ଓ ୭୧୫ ସନର ଲେଖରେ ଓଡ଼ିଆ ଶବ୍ଦ ଭିତୁରୁ ଆଉ ପନ୍ଦର ପ୍ରଭୃତିର ବ୍ୟବହାର ଦେଖିବାକୁ ମିଳେ।

କବି ମାର୍କଣ୍ଡ ଦାସଙ୍କ କେଶବ କୋଇଲି ବର୍ତ୍ତମାନ ମିଳୁଥିବା ଓଡ଼ିଆ ପୁସ୍ତକମାନଙ୍କ ମଧ୍ୟରେ ପ୍ରାଚୀନତମ। ତାହାକୁ ଅନୁକରଣ କରି ପରବର୍ତ୍ତୀକାଳରେ କବିମାନେ ଚଉତିଶା ଆଦିର ରଚନା କରିଛନ୍ତି। ତା ପରବର୍ତ୍ତୀ କାଳରେ ଓଡ଼ିଆ ଭାଷାର ପୁରାଣ ଓ ଅନୁବାଦର ଯୁଗ ଆରମ୍ଭ ହୋଇଥିଲା। ତ୍ରୟୋଦଶ ଶତାବ୍ଦୀର ଶୂଦ୍ରମୁନି ଶାରଳାଦାସଙ୍କର ମହାଭାରତ ଓ ପରେପରେ ନୃସିଂହ ପୁରାଣ, ଗରୁଡ଼ ପୁରାଣ ଆଦି ଅନେକ ପୁରାଣ ଓ ଚତୁର୍ଦ୍ଦଶ ଶତାବ୍ଦୀରେ ଅତିବଡ଼ୀ ଜଗନ୍ନାଥ ଦାସଙ୍କର ଭାଗବତ, ବଳରାମ ଦାସଙ୍କ ରାମାୟଣ ଆଦିରେ ଓଡ଼ିଆ ଭାଷା ପୂର୍ଣ୍ଣତା ଧାରଣ କରିଥିଲା।

ପରବର୍ତ୍ତୀକାଳରେ ଷୋଡ଼ଶରୁ ଅଷ୍ଟାଦଶ ଶତାବ୍ଦୀ ମଧ୍ୟରେ ବିଶ୍ୱନାଥ କବିରାଜ, ଉପେନ୍ଦ୍ର ଭଞ୍ଜ, ବଳଦେବ ରଥ, ଦୀନକୃଷ୍ଣ, ଅଭିମନ୍ୟୁ ସାମନ୍ତ ସିଂହାର ଆଦି ଅନେକ କବି ଓଡ଼ିଆ ଭାଷାକୁ ସ୍ୱୀୟ ରଚନାବଳୀଦ୍ୱାରା ସମୃଦ୍ଧ କରିଛନ୍ତି। ଏହିପରି ଚର୍ଯା ଯୁଗ, ସାରଳା ଯୁଗ, ପଞ୍ଚସଖା ଯୁଗ, ରୀତି ଯୁଗ, ରାଧାନାଥ ଯୁଗ, ସତ୍ୟବାଦୀ ଯୁଗ, ପ୍ରଗତି ଯୁଗ, ସବୁଜ ଯୁଗ ଓ ସ୍ୱାଧୀନତା ପରର ଯୁଗର ଅନେକ ଆଧୁନିକ କବି ଓ ଲେଖକଙ୍କ ରଚନାଦ୍ୱାରା ଓଡ଼ିଆ ଭାଷା ସାହିତ୍ୟ ପୁଷ୍ଟ ହୋଇଛି।

ଇତିହାସରୁ ୩ଟି ବୃହତ ଓଡ଼ିଆ ଭାଷା ଆନ୍ଦୋଳନର ସୂଚନା ମିଳେ। ଏହି ତିନୋଟି ଆନ୍ଦୋଳନଦ୍ୱାରା ଓଡ଼ିଆ ସୁରକ୍ଷିତ ହେବା ସହିତ ଭାଷା ସହ ଭୂମିକୁ ଯୋଡିବାରେ ସଫଳ ହୋଇଥିଲା। ପ୍ରଥମଟି ୧୦୭୩ ମସିହାରେ ଗଙ୍ଗବଂଶୀ ରାଜା ଚୋଳଗଙ୍ଗ ଦେବ ନିଜକୁ ସକଳୋତ୍କଳ ରକ୍ଷାକର୍ତ୍ତା ଭାବେ ଘୋଷଣା କରିବା ସହିତ ଓଡ଼ିଆ ଭାଷାକୁ ତାମିଲ ଓ ସଂସ୍କୃତ ସହିତ ରାଜଭାଷାର ମାନ୍ୟତା ଦେଇଥିଲେ। ସେହିପରି ଦ୍ୱିତୀୟ ଭାଷା ଆନ୍ଦୋଳନ ଘଟିଥିଲା ୧୪୩୬ ମସିହାରେ। ଏହି ସମୟରେ କପିଳେନ୍ଦ୍ର ଦେବ ନିଜକୁ ଜଗନ୍ନାଥଙ୍କ ରାଉତ ଭାବରେ ଘୋଷଣା କରି ଓଡ଼ିଶାର ଶାସକ ହେବା ସହିତ ପ୍ରଥମକରି କେବଳ ଓଡ଼ିଆକୁ ଶାସନର ଭାଷା ଭାବରେ ଗ୍ରହଣ କଲେ। ଫଳରେ ଓଡ଼ିଆରେ ସାହିତ୍ୟ ରଚନା ହେବା ସହିତ ଭାରତର ପ୍ରଥମ ରାଜ୍ୟ ଭାବରେ ଶତକଡ଼ା ଶହେଭାଗ ଲୋକ ଶିକ୍ଷିତ ହୋଇପାରିଥିଲେ। ଇଂରେଜ ଶାସନକାଳରେ ତୃତୀୟ ଥର ଭାଷା ଆନ୍ଦୋଳନ ୧୮୬୬ ମସିହାରେ ନଅଙ୍କ ଦୁର୍ଭିକ୍ଷ ସମୟରେ ହୋଇଥିଲା।

ଏହା ପ୍ରଥମେ ୧୮୬୬ ବ୍ରିଟିଶ ଶାସନ କାଳରେ ଆରମ୍ଭ ହୋଇ ୧୯୦୩ ମସିହାରେ ବିଶାଳ ଆନ୍ଦୋଳନର ରୂପ ନେଇଥିଲା ଯାହାର ପରିଣତି ସ୍ୱରୂପ ୧୯୩୬ ମସିହାରେ ଭାଷା ଭିତ୍ତିରେ ଭାରତର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଗଠିତ ହୋଇଥିଲା । 

ଓଡ଼ିଶା ବିଧାନ ସଭାରେ 1954 ମସିହା ଓଡ଼ିଆ ଭାଷାର ସରକାରୀ ସ୍ତରରେ ବ୍ୟବହାର ପାଇଁ ଆଇନ ହେଇଥିଲା । ମାତ୍ର ଉଦ୍ୟମର ଅଭାବ ଓ ଓଡ଼ିଆ ଟାଇପ ରାଇଟରରେ ଓଡ଼ିଆ ଟାଇପ କରିବାର ଅସୁବିଧାଗତ କାରଣରୁ ଏହା ବାସ୍ତବିକ କ୍ଷେତ୍ରରେ କାର୍ଯ୍ୟକାରୀ ହୋଇ ପାରିନଥିଲା ।

୨୦ ଫେବୃଆରୀ ୨୦୧୪ ତାରିଖ ଦିନ କେନ୍ଦ୍ର ସରକାର ଓଡ଼ିଆ ଭାଷାକୁ ଶାସ୍ତ୍ରୀୟତାର ମାନ୍ୟତା ଦେଇଥିଲେ ଓ ମାର୍ଚ୍ଚ ୧୧ତାରିଖ ଦିନ, ଏ ନେଇ ରାଜପତ୍ରରେ ବିଜ୍ଞପ୍ତି ଜାରି କରାଯାଇଥିଲା । ତାମିଲ, ସଂସ୍କୃତ, ତେଲୁଗୁ, କନ୍ନଡ ଓ ମାଲାୟାଲମ ପରେ ଶାସ୍ତ୍ରୀୟ ମାନ୍ୟତା ପାଇବାରେ ଓଡ଼ିଆ ହେଲା ଷଷ୍ଠ ଭାଷା ।